କ୍ଷମତାରେ ଥିବା ନେତାମାନଙ୍କ ଦ୍ବାରା ପୋଲିସର ଅପବ୍ୟବହାର କରାଯାଉଥିବା ଅଭିଯୋଗ ଆସିବା ଆଜିକାଲି ଏକ ସାଧାରଣ ଘଟଣାରେ ପରିଣତ ହୋଇଗଲାଣି।
ପୋଲିସ ର କାମ ହେଉଛି ଅନ୍ୟାୟ ଅତ୍ୟାଚାର ଆଦିର ସମ୍ମୁଖୀନ ହେଉଥିବା ଲୋକଙ୍କୁ ସୁରକ୍ଷା ଓ ନ୍ୟାୟ ଦେବାପାଇଁ ପଦକ୍ଷେପ ନେବା। କିନ୍ତୁ ଆଜିକାଲି ଦେଖାଯାଉଛି କି ଅନେକ ସ୍ଥାନରେ କ୍ଷମତା ରେ ଥିବା ନେତାମାନେ ରାଜନୈତିକ ଆକ୍ରୋଶ ପାଇଁ ପୋଲିସର ବ୍ୟବହାର କରୁଛନ୍ତି। ଆପଣ କହିପାରିବେ ଯେ ରାଜନୈତିକ ପ୍ରତିଶୋଧ ନେବାପାଇଁ ପୋଲିସ ର ବ୍ୟବହାର କରାଯାଉଛି ତାହାପୁଣି ନିୟମର ପରିଧି ଆଳରେ।
ଏବେ ସଦ୍ୟତମ ଘଟଣାରେ ଓଡ଼ିଶାରେ ଦେବଗଡ଼ ବିଧାୟକଙ୍କୁ ଗିରଫ କରିବା, ଗୁଜୁରାଟ ର କଂଗ୍ରେସ ବିଧାୟକଙ୍କୁ ଆସାମରେ ଗିରଫ କରିବା, ଦିଲ୍ଲୀ ବିଜେପି ନେତାଙ୍କୁ ପଞ୍ଜାବ ପୋଲିସ ଦ୍ୱାରା ଗିରଫ କରାଇବା, ପଞ୍ଜାବ ପୋଲିସ ବିପକ୍ଷରେ ଦିଲ୍ଲୀ ପୋଲିସର ଅପହରଣ ମାମଲା ରୁଜ୍ଜୁ କରିବା, ହରିୟାଣା ପୋଲିସ ଦ୍ୱାରା ପଞ୍ଜାବ ପୋଲିସକୁ ଅଟକ ରଖିବା ଓ ସେମାନଙ୍କୁ ମୁକୁଳାଇବା ପାଇଁ ପଞ୍ଜାବ ସରକାର ଉଚ୍ଚ ନ୍ୟାୟାଳୟ ର ଦ୍ୱାରସ୍ଥ ହେବା ଆଦି ପୋଲିସ କୁ କିପରି ନିଜର ପ୍ରତିଶୋଧ ନେବାପାଇଁ ଘରୋଇ ଅଙ୍ଗରକ୍ଷୀ ଭଳି ବ୍ୟବ୍ୟବହାର କରାଯାଉଛି ତାର ନଗ୍ନ ଉଦାହରଣ।
ଏପରି କାର୍ଯ୍ୟ ଦ୍ୱାରା କେବଳ ପୋଲିସ ର ପ୍ରକୃତ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ତା ନୁହେଁ, ପରନ୍ତୁ ପୋଲିସ ର ସଂମାନ ହାନି ହେଉଛି ବା ଲୋକଙ୍କ ଦୃଷ୍ଟିରେ ଇଜ୍ଜତ ସରିଯାଉଛି।
ଦେଶର ହିତ ଦୃଷ୍ଟିରୁ ନେତାମାନଙ୍କୁ ପୋଲିସ ର ଅପବ୍ୟବହାର ବନ୍ଦ କରିବାର ଆବଶ୍ୟକତା ରହିଛି।ଆଉ ମଧ୍ୟ ପୋଲିସକୁ ବିନା କୌଣସି ଚାପରେ ଓ ଭୟହିନ ହୋଇ ନିଜର କର୍ତ୍ତବ୍ୟ ସମ୍ପାଦନ କରିବାର ଆବଶ୍ୟକତା ରହିଛି।