କାନପୁର ବିଶୃଙ୍ଖଳା ପାଇଁ ୩୫ ଜଣ ଲୋକଙ୍କ ବିରୋଧରେ NSA ଲଗାଯାଉଛି ହେଲେ ନୁପୁର ଶର୍ମାଙ୍କୁ ଗିରଫ କରାଯାଉ ନାହିଁ: ଓୱାଇସି
ବିବାଦୀୟ ମନ୍ତବ୍ୟ ପାଇଁ ବିଜେପି ଦଳର ଜାତୀୟ ମୁଖପାତ୍ର ନୁପୁର ଶର୍ମା ଏବଂ ଦିଲ୍ଲୀ ବିଜେପି ମିଡିଆ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ ବିଜେପି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି । ତଥାପି ବିବାଦ ଜାରି ରହିଛି। ଆରବ ଦେଶଗୁଡିକର ବିରୋଧ ପରେ ଦଳ ନପୁର ଶର୍ମାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ଯାଞ୍ଚ ଶେଷ ହେବା ପର୍ୟ୍ୟନ୍ତ ନିଲମ୍ବିତ କରିଛି। ସେପଟେ ନବୀନ ଜିନ୍ଦଲଙ୍କୁ ୬ ବର୍ଷ ଧରି ଦଳରୁ ନିଲମ୍ବିତ କରାଯାଇଛି । ଏହା ମଧ୍ୟରେ ଏଆଇଏମଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଅସଦୁଦ୍ଦିନ ଓୱାଇସି ନୁପୁର ଶର୍ମାଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଆସାଦୁଦ୍ଦିନ ଓୱାଇସି କହିଛନ୍ତି, “ଏହି କାର୍ୟ୍ୟ ଅର୍ଥନୀତିରେ ବ୍ୟାପକ କ୍ଷତି ଘଟାଇବାକୁ ଯାଉଛି । ଯେଉଁଥିପାଇଁ କେବଳ ପ୍ରଧାନମନ୍ତ୍ରୀ ମୋଦୀ ଦାୟୀ ରହିବେ। ମୁଖପାତ୍ରଙ୍କୁ ଶୀଘ୍ର ଗିରଫ କରାଯିବାକୁ ଆମେ ଦାବି କରୁଛୁ। ସେମାନଙ୍କୁ କାହିଁକି ଗିରଫ କରାଯାଉ ନାହିଁ? ଯଦି କାନପୁର ବିଶୃଙ୍ଖଳା ପାଇଁ ୩୫ ଜଣ ଲୋକଙ୍କ ବିରୋଧରେ ଏନଏସଏ ଲଗାଯାଉଛି । ହେଲେ ନୁପୁର ଶର୍ମାଙ୍କୁ କାହିଁକି ଗିରଫ କରାଯାଉ ନାହିଁ ?
ଯଦି ଆପଣ ତୁରନ୍ତ ଆପଣଙ୍କର ମୁଖପାତ୍ରଙ୍କୁ ଗିରଫ କରିଥାନ୍ତେ ତାହାଲେ ଏପରି ଗଡ଼ବଡ଼ ହୋଇନଥାନ୍ତା ବୋଲି କହିଛନ୍ତି । ଏହାସହ ଆସାଦୁଦ୍ଦିନ ଓୱାଇସି ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଗଲ୍ଫ ଦେଶରେ ରହୁଥିବା ଆମ ଦେଶର ନାଗରିକଙ୍କ ପ୍ରତି ଘୃଣା ହିଂସା ଆରମ୍ଭ ହୁଏ । ତେବେ ଏହା ପାଇଁ ଦାୟୀ କିଏ ପ୍ରଧାନମନ୍ତ୍ରୀ? ତୁମର ବୈଦେଶିକ ନୀତି କ’ଣ? ଏହା କେବେ ହୋଇ ନାହିଁ ଯେ ଆରବ ଦେଶଗୁଡିକ ଦେଶର ରାଷ୍ଟ୍ରଦୂତମାନଙ୍କୁ ଡାକୁଛନ୍ତି ଏବଂ କହୁଛନ୍ତି ଯେ ଆପଣ ଭୁଲ୍ କହିଛନ୍ତି । ଆମକୁ କ୍ଷମା ମାଗିବା ଆବଶ୍ୟକ । ଉପରାଷ୍ଟ୍ରପତି କତାରରେ ଅଛନ୍ତି ଏବଂ ସେଠାରେ ରାଷ୍ଟ୍ରଦୂତଙ୍କୁ ଡକାଯାଇ ପଚରାଯାଉଛି। ଏହା କେତେ ଅପମାନଜନକ ବୋଲି ଓୱାଇସି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।