କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ଏବେ ଦେଶବ୍ୟାପୀ ପ୍ରତିବାଦର ସ୍ବର ଉଠୁଥିବା ବେଳେ, ସରକାର ଆନ୍ଦୋଳନକାରୀ ଓ ଅସନ୍ତୋଷ ଙ୍କୁ ମନାଇବା ପାଇଁ ଅଣ୍ଟା ଭିଡ଼ି ଛନ୍ତି । ବାୟୁସେନା ଏହି ଯୋଜନାକୁ ନେଇ ଜାରି କରିଛି ସମ୍ପୂର୍ଣ୍ଣ ତଥ୍ୟ। ଏହି ଯୋଜନାରେ ଭାରତୀୟ ବାୟୁସେନାରେ ୪ ବର୍ଷ ପାଇଁ ଭର୍ତ୍ତି ହେବ। ଅଗ୍ନିବୀରଙ୍କୁ ବର୍ଷରେ ୩୦ ଦିନର ଛୁଟି ମିଳିବ। ଏହା ସହ କ୍ୟାଣ୍ଟିନର ସୁବିଧା ମଧ୍ୟ ଉପଲବ୍ଧ ହେବ। ବାୟୁସେନା ପକ୍ଷରୁ ସେମାନଙ୍କୁ ୟୁନିଫର୍ମ ଆଲାଉନ୍ସ, ବୀମା ମଧ୍ୟ ପ୍ରଦାନ କରାଯିବ।
କେନ୍ଦ୍ର ସରକାର ତିନି ସେନାରେ ନିଯୁକ୍ତି ନେଇ ଏହି ଯୋଜନାର ଶୁଭାରମ୍ଭ କରିଥିବା ବେଳେ ସାରା ଦେଶରେ ଏହାକୁ ନେଇ ଜୋରଦାର ପ୍ରଦର୍ଶନ ଚାଲିଛି। ଯୋଜନା ବାବଦରେ ସମସ୍ତ ତଥ୍ୟ ପହଞ୍ଚାଇବା ପାଇଁ ବାରମ୍ବାର ଚେଷ୍ଟା କରାଯାଉଛି। ଏହି କ୍ରମରେ ବାୟୁସେନା ଯୋଜନା ସହ ଜଡିତ ପୂରା ତଥ୍ୟ ସାମ୍ନାକୁ ଆଣିଛି। ଅଗ୍ନିବୀରଙ୍କୁ ସେହି ସମସ୍ତ ସୁବିଧା ମିଳିବ ଯାହା ଅନ୍ୟ ସୈନ୍ୟବଳଙ୍କ ପାଇଁ ଉପଲବ୍ଧ ରହିଛି।
ଭାରତୀୟ ବାୟୁସେନାର ତଥ୍ୟ ଅନୁସାରେ ଅଗ୍ନିବୀରଙ୍କୁ ମାସିକ ବେତନ ସହ ହାର୍ଡସିପ୍ ଆଲାଉନ୍ସ, ୟୁନିଫର୍ମ ଆଲାଉନ୍ସ, କ୍ୟାଣ୍ଟିନ, ମେଡିକାଲ ସୁବିଧା ପ୍ରଦାନ କରାଯିବ। ଅଗ୍ନିବୀରଙ୍କୁ ଟ୍ରିପଲ ଆଲାଉନ୍ସ ମଧ୍ୟ ମିଳିବ। ବର୍ଷରେ ୩୦ ଦିନ ଛୁଟି ମିଳିବା ସହ ମେଡିକାଲ ଛୁଟି ମଧ୍ୟ ପ୍ରଦାନ କରାଯିବ। ଏହା ମେଡିକାଲ ଚେକଅପ୍ ଉପରେ ନିର୍ଭର କରିବ। ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ବୟସ ୧୭.୫ ବର୍ଷରୁ ୨୧ ବର୍ଷ ହୋଇଛି।
୪ ବର୍ଷର ଚାକିରି କାଳ ଭିତରେ ଯଦି ଅଗ୍ନିବୀରଙ୍କ ମୃତ୍ୟୁ ହୋଇଥାଏ ତେବେ ବୀମା ସୁବିଧା ଉପଲବ୍ଧ ହେବ। ତାଙ୍କ ପରିବାରକୁ ୧ କୋଟିର ଆର୍ଥିକ ସୁବିଧା ଉପଲବ୍ଧ ହେବ। ଡ୍ୟୁଟି ବେଳେ ବିକଳାଙ୍ଗ ହେଲେ ଏକ୍ସ-ଗ୍ରାସିଆରେ ୪୪ ଲକ୍ଷ ଟଙ୍କା ମିଳିବ। ଆଉ ବଞ୍ଚିଥିବା ଚାକିରି ସମୟର ପୂରା ଦରମା ମିଳିବ। ସେବା ନିଧି ପ୍ୟାକେଜର ପୂରା ଅର୍ଥ ମଧ୍ୟ ମିଳିବ। ଅଗ୍ନିବୀରଙ୍କୁ ମୋଟ ୪୮ ଲକ୍ଷର ବୀମା ସୁବିଧା ମିଳିବ।
ଏଥିସହ ଟ୍ରନିଂ ଅବଧି ବେଳେ ଯୁବପିଢ଼ି ଅଧାରୁ ଟ୍ରେନିଂ ଛାଡିପାରିବେ ନାହିଁ। ଅଗ୍ନିପଥ ଯୋଜନା ଅଧୀନରେ ସେ ପ୍ରଥମ ବର୍ଷର ସେବା ପାଇଁ ବେତନ ହିସାବରେ ୩୦ହଜାର ଟଙ୍କା ପାଇବେ, ସେଥିମଧ୍ୟରୁ ୨୧ହଜାର ସିଧାସଳଖ ତାଙ୍କ ଆକାଉଣ୍ଟକୁ ଏବଂ ୯୦୦୦ହଜାର ଟଙ୍କା ଅଗ୍ନିବୀର କର୍ପସ ଫଣ୍ଡକୁ ଯିବ। ପ୍ରତିବର୍ଷ ଦରମା ବୃଦ୍ଧି ପାଇବ। ତାଲିମର ଶେଷ ବର୍ଷରେ, ଅଗ୍ନିବୀରଙ୍କ ଦରମା ୪୦ହଜାର ଟଙ୍କା ହେବ ।