ରିଜର୍ଭ ବ୍ୟାଙ୍କ ପରେ ଅର୍ଥ ମନ୍ତ୍ରାଳୟ ମଧ୍ୟ ମାଗଣା ଯୋଜନା ଉପରେ ପ୍ରଶ୍ନ ଉଠାଇଛି। କରୋନା ମହାମାରୀ ସମୟରୁ ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଉଛି। ଶେଷଥର ପାଇଁ ଗତ ମାର୍ଚ୍ଚରେ ଏହାକୁ ୬ ମାସ ପାଇଁ ଅର୍ଥାତ୍ ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ସେପ୍ଟେମ୍ବର ପରେ ଏହି ଯୋଜନାର ଅବଧି ଆଉ ନବଢ଼ାଇବାକୁ ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଯୁକ୍ତି ଦର୍ଶାଇଛି। କେବଳ ମାଗଣା ଖାଦ୍ୟ ଯୋଜନା ନୁହେଁ, କୌଣସି ପ୍ରକାର ବଡ଼ଧରଣର ଟିକସ ହ୍ରାସକୁ ମଧ୍ୟ ବ୍ୟୟ ବିଭାଗ ବିରୋଧ କରିଛି। ଏସବୁ କରାଗଲେ, ସରକାରଙ୍କ ବିତ୍ତୀୟ ସ୍ଥିତି ବିଗିଡ଼ିଯିବ ବୋଲି ବ୍ୟୟ ବିଭାଗ ସତର୍କ କରାଇ ଦେଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସରକାର ସଂଶୋଧିତ ଅଟକଳରେ ଖାଦ୍ୟ ସବ୍ସିଡି ବାବଦ ବ୍ୟୟ ୨.୮୬ ଲକ୍ଷ କୋଟି ଟଙ୍କା ରହିଥିଲା।
୨୦୨୨-୨୩ରେ ଏ ବାବଦ ବ୍ୟୟ ୨.୦୭ କୋଟି ଟଙ୍କା ରହିବାନେଇ ବଜେଟରେ ଆକଳନ କରାଯାଇଛି। କିନ୍ତୁ, ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଖାଦ୍ୟ ଯୋଜନା ବୃଦ୍ଧି କରାଯାଇଥିବାରୁ ଉକ୍ତ ସବ୍ସିଡି ବିଲ୍ ୨.୮୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ସେପ୍ଟେମ୍ବର ମାସ ପରେ ଯଦି ଉକ୍ତ ଯୋଜନାକୁ ଆଉ ୬ ମାସ ବଢ଼ାଇ ଦିଆଯାଏ, ତା’ହେଲେ ସବ୍ସିଡି ବୋଝ ଆଉ ୮୦ ହଜାର କୋଟି ଟଙ୍କା ୨୦୨୨-୨୩ ବର୍ଷରେ ବଢ଼ିଯିବ। ଅର୍ଥାତ୍ ଖାଦ୍ୟ ସବ୍ସିଡି ବାବଦ ଖର୍ଚ୍ଚ ୩.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଯିବ। ତେଣୁ, ମାଗଣା ଖାଦ୍ୟ ପ୍ରଦାନର ଅବଧି ବୃଦ୍ଧି କିମ୍ବା ଟିକସ ହ୍ରାସ ସରକାରଙ୍କ ବିତ୍ତୀୟ ସ୍ଥିତିକୁ ବିଗାଡ଼ିଦେବ। ତେଣୁ ସେପ୍ଟେମ୍ବର ପରେ ଉକ୍ତ ଯୋଜନାର ଅବଧି ଉଭୟ ଖାଦ୍ୟ ସୁରକ୍ଷା ଓ ବିତ୍ତୀୟ ଦୃଷ୍ଟିକୋଣରୁ ବୃଦ୍ଧି କରିବା ଠିକ୍ହେବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ କହିଛି।
ନିକଟରେ ସରକାର ମାଗଣା ରାସନ ପ୍ରଦାନର ଅବଧି ବୃଦ୍ଧି, ସାର ସବ୍ସିଡି ରାଶି ବୃଦ୍ଧି, ରନ୍ଧନ ଗ୍ୟାସ ଉପରେ ପୁନର୍ବାର ସବ୍ସିଡି ପ୍ରଦାନ, ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଏବଂ ଖାଇବା ତେଲ ଓ ଅନ୍ୟ କେତେକ ସାମଗ୍ରୀ ଉପରେ ଆମଦାନି ଶୁଳ୍କ ହ୍ରାସ ଦେଶର ବିତ୍ତୀୟ ସ୍ଥିତି ଉପରେ ଗୁରୁତର ପ୍ରଭାବ ପକାଇଛି। ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ ଗତମାସରେ ପେଟ୍ରୋଲ ଓ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ ଦ୍ବାରା ସରକାରଙ୍କୁ ୧ ଲକ୍ଷ କୋଟି ଟଙ୍କାର ରାଜସ୍ବ କ୍ଷତି ସହିବାକୁ ପଡ଼ିବ। ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ବିତ୍ତୀୟ ନିଅଣ୍ଟ ଜିଡିପିର ୬.୪ ପ୍ରତିଶତରେ ରହିବ ବୋଲି ବଜେଟରେ ଆକଳନ ହୋଇଥିଲା। କିନ୍ତୁ, ସବ୍ସିଡି ବୃଦ୍ଧି ଏବଂ ରାଜସ୍ବ ହ୍ରାସ ଯୋଗୁ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୮ ପ୍ରତିଶତକୁ ବୃଦ୍ଧି ପାଇବ ବୋଲି ଏବେ ଫିଚ ରେଟିଙ୍ଗସ୍ ଆକଳନ କରିଛି।
୨୦୨୦ ମାର୍ଚ୍ଚରେ ଲକ୍ଡାଉନ ଘୋଷଣା ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ) ଘୋଷଣା ହୋଇଥିଲା। ଉକ୍ତ ଯୋଜନାରେ ମୁଣ୍ଡପିଛା ୫ କେଜି ଚାଉଳ ଓ କେଜିଏ ଚଣା ମାଗଣାରେ ପ୍ରଦାନ କରାଯାଉଛି। ଦେଶରେ ପ୍ରାୟ ୮୧ କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇଥିଲେ। ଏଥିସହିତ ସେହି ବ୍ୟକ୍ତିମାନେ ମଧ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ରିହାତି ମୂଲ୍ୟରେ ଖାଦ୍ୟ ସାମଗ୍ରୀ ପାଉଛନ୍ତି। ତେଣୁ ଗୋଟିଏ ଯୋଗ୍ୟ ପରିବାର ମାସକୁ ପ୍ରାୟ ୫୦ କେଜି ଖାଦ୍ୟଶସ୍ୟ ପାଉଛନ୍ତି। ମହାମାରୀ ନଥିବା କାରଣରୁ ଆବଶ୍ୟକତାଠାରୁ ଅଧିକ ଖାଦ୍ୟ ସେମାନଙ୍କୁ ପ୍ରଦାନ କରାଯାଉଛି ବୋଲି ବ୍ୟୟ ବିଭାଗ କହିଛି।
ଅନ୍ୟପକ୍ଷରେ, ଚଳିତବର୍ଷ ମେ ୨୧ରେ କେନ୍ଦ୍ର ସରକାର ଲିଟର ପିଛା ପେଟ୍ରୋଲ ଉପରେ ୮ ଟଙ୍କା ଓ ଡିଜେଲ ଉପରେ ୬ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ କରିଥିଲା। ଏଥିସହିତ ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାର ହିତାଧିକାରୀଙ୍କୁ ବର୍ଷକୁ ୧୨ଟି ସିଲିଣ୍ଡର ପର୍ଯ୍ୟନ୍ତ ପ୍ରତି ସିଲିଣ୍ଡର ପିଛା ୨୦୦ ଟଙ୍କାର ସବ୍ସିଡି ଦେବାକୁ ଘୋଷଣା କରାଯାଇଛି। ଉକ୍ତ ଯୋଜନାରେ ପ୍ରାୟ ୯ କୋଟି ହିତାଧିକାରୀ ରହିଛନ୍ତି। ଏଥିସହିତ ଖାଇବା ତେଲ ଉପରେ ଆମଦାନି ଶୁଳ୍କ ମଧ୍ୟ ହ୍ରାସ କରାଯାଇଛି। ଏସବୁ ବାବଦରେ ସରକାରଙ୍କୁ ବାର୍ଷିକ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ରାଜସ୍ବ କ୍ଷତି ହେବ। ସାର ସବସିଡି ବାବଦରେ ବଜେଟରେ ୧.୦୫ ଲକ୍ଷ କୋଟି ଟଙ୍କା ରହିବ ବୋଲି ଆକଳନ ହୋଇଥିଲା। କିନ୍ତୁ ୨.୧୫ ଲକ୍ଷ କୋଟି କିମ୍ବା ତା’ଠାରୁ ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି।