Webportal

କେନ୍ଦ୍ର ସରକାରଙ୍କ ନୀତି ପାଇଁ କଶ୍ମୀର ପଣ୍ଡିତ ମାନେ ପୁଣି ଅସୁରକ୍ଷିତ ହୋଇ ପଡ଼ିଛନ୍ତି: ଆସାଦୁଦ୍ଦିନ ଓୱେସି

sanitry
0 80

କଶ୍ମୀର ପଣ୍ଡିତ ସମ୍ପ୍ରଦାୟଙ୍କ ଉପରେ ପୁଣି ଥରେ ଜମ୍ମୁ-କଶ୍ମୀରର ଶୋପିଆନରେ ଆକ୍ରମଣ କରାଯାଇଛି। ସେଓ ବଗିଚାରେ ପ୍ରବେଶ କରି ଆତଙ୍କବାଦୀମାନେ ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଏହି ଆକ୍ରମଣରେ ସୁନୀଲ କୁମାର ଭଟ୍ଟଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି।ଏହି ଆକ୍ରମଣ ପରେ ପୁଣି ଥରେ ଜମ୍ମୁ-କଶ୍ମୀରରେ ଭୟର ବାତାବରଣ ସୃଷ୍ଟି ହେବା ସହିତ ସଂଖ୍ୟାଲଘୁ ହିନ୍ଦୁ ସମ୍ପ୍ରଦାୟର ଲୋକଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହାକୁ ନେଇ ଏଆଇଏମଆଇଏମ ମୁଖ୍ୟ ଆସାଦୁଦ୍ଦିନ ଓୱେସି କେନ୍ଦ୍ର ସରକାର ଏବଂ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କୁ ଟାର୍ଗେଟ କରିଛନ୍ତି।

ଓୱେସି କହିଛନ୍ତି ଯେ, ଜମ୍ମୁ-କଶ୍ମୀରରେ ଭାଜପା ସରକାରଙ୍କ ଦ୍ୱାରା ନିଯୁକ୍ତ ଉପରାଜ୍ୟପାଳ ବିଫଳ ହୋଇଛନ୍ତି। ଏହାର ଜବାବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଦିଅନ୍ତୁ ବୋଲି ଓୱେସି ଦାବି କରିଛନ୍ତି। ଜମ୍ମୁ-କଶ୍ମୀରରେ କେନ୍ଦ୍ର ସରକାରଙ୍କ ନୀତି ଯୋଗୁ କଶ୍ମୀର ପଣ୍ଡିତ ପୁଣି ଅସୁରକ୍ଷିତ ହୋଇ ପଡ଼ିଥିବା ସେ କହିଛନ୍ତି। ଅନୁଚ୍ଛେଦ ୩୭୦କୁ ହଟାଇ ଦିଆଗଲା । ଏହା ଦ୍ୱାରା କଶ୍ମୀରୀ ପଣ୍ଡିତମାନଙ୍କୁ ଉପକୃତ କରିବ ଏବଂ ସେମାନେ ଶାନ୍ତିରେ ରହିବେ ବୋଲି କୁହା ଗଲା। ବହୁ ବର୍ଷର ପରିଶ୍ରମ ପରେ କାଶ୍ମୀରୀ ପଣ୍ଡିତମାନେ ଫେରି ଆସିଥିଲେ, କିନ୍ତୁ ସେମାନେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ବର୍ତ୍ତମାନ କାଶ୍ମୀରୀ ପଣ୍ଡିତମାନେ ଉପତ୍ୟକା ଛାଡି ଯିବାକୁ ଚେଷ୍ଟା କରୁଛନ୍ତି। ଏହା ମୋଦି ସରକାରଙ୍କ ବିଫଳତାର ଆଉ ଏକ ଉଦାହରଣ। ଏଥିପାଇଁ ଭାଜପା ସରକାର ସମ୍ପୂର୍ଣ୍ଣ ଦାୟୀ। ସରକାର କାଶ୍ମୀରୀ ପଣ୍ଡିତଙ୍କ ଜୀବନ ରକ୍ଷା କରିବାରେ ଅସଫଳ ରହିଥିବା ଏହା ପ୍ରମାଣିତ କରୁଛି। ଅସଦୁଦ୍ଦିନ ଓୱେସି କହିଛନ୍ତି ଯେ ଆପଣମାନେ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଶ୍ମୀରୀ ପଣ୍ଡିତଙ୍କ ସହ କ’ଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଶୋପିଆନ୍‌ରେ ହୋଇଥିବା ଆକ୍ରମଣକୁ ନେଇ ଉପରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରି ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବାକୁ ଘୋଷଣା କରିଛନ୍ତି। ନ୍ୟାଶନାଲ କନଫରେନ୍ସ ନେତା ତନଭୀର ସାଦିକ କହିଛନ୍ତି ଯେ ଆତଙ୍କବାଦୀଙ୍କ ଯୋଗୁଁ ସମସ୍ତ ସମ୍ପ୍ରଦାୟର ଲୋକେ ଭୟ କରୁଛନ୍ତି। ତେଣୁ ସେମାନେ ଜୀବନ ଭୟରେ କଶ୍ମୀରୀ ପଣ୍ଡିତଙ୍କୁ ସାହାଯ୍ୟ କରପାରୁ ନାହାନ୍ତି। କାଶ୍ମୀର ପଣ୍ଡିତମାନେ ଜମ୍ମୁ-କଶ୍ମୀରରେ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି ଏବଂ ଏହା ଏକ ବଡ଼ ଚିନ୍ତାର ବିଷୟ।

ଗଣମାଧ୍ୟମର ଖବର ଅନୁଯାୟୀ ଆତଙ୍କବାଦୀମାନେ ସେଓ ବଗିଚାରେ ପ୍ରବେଶ କରି ସୁନୀଲ କୁମାର ଭଟ୍ଟ ଏବଂ ତାଙ୍କ ଭାଇଙ୍କ ନାମ ପଚାରିଥିଲେ ଏବଂ ସେମାନେ ହିନ୍ଦୁ ବୋଲି ଜାଣିବା ପରେ ଗୁଳି ଚଳାଇଥିଲେ।

Square Ad 1
Leave A Reply

Your email address will not be published.