ହାତୀମୃତ୍ୟୁ…ଏ ଘଟଣା ଆମ ରାଜ୍ୟରେ ପ୍ରାୟ ନିତିଦିନିଆ ହୋଇଗଲାଣି । କେତେବେଳେ ଶିକାରୀ ଗୁଳିର ଶୀକାର ହେଉଛି ତ ଆଉ କେତେବେଳେ ବିଦ୍ୟୁତ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ହାତୀ ସଂଖ୍ୟା କମିବାରେ ଲାଗିଛି । ଯାହାକି ପଶୁପ୍ରେମୀଙ୍କର ଚିନ୍ତା ବଢ଼େଇ ଦେଇଛି । ଘଟଣାକ୍ରମେ ଆଜି ଢେଙ୍କାନାଳ ଜିଲ୍ଲାର ମହାବୀରରୋଡ ରେଞ୍ଜ ଘାଘରାମୁଣ୍ଡା ଗାଁ ନିକଟରେ ଥିବା ଖେସେରା ଜଙ୍ଗଲରୁ ହାତୀର ମୃତଦେହ ମିଳିଛି । ତେବେ ଏହି ରେଞ୍ଜରେ ଶତାଧିକ ହାତୀ ରହିଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଆସି କୌଣସି କାରଣରୁ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କହିଛି ବନ ବିଭାଗ । ସେପଟେ, ଗତକାଲି ମଧ୍ୟ ଅନୁଗୁଳ ସାତକୋଶିଆ ଜଗନ୍ନାଥପୁର ଆମ୍ବ ତୋଟାରୁ ଦନ୍ତାର ମୃତଦେହ ଉଦ୍ଧାର କରିଥିଲା ବନ ବିଭାଗ । ସେହିପରି ୨୫ ତାରିଖରେ କେନ୍ଦୁଝରରେ ବିଦ୍ୟୁତ୍ ତାର ଲାଗି ୨ଟି ହାତୀର ମୃତ୍ୟୁ ହୋଇଥିଲା । ଯାହାଫଳରେ ଲଗାତାର ଭାବରେ ହାତୀ ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି ।
ଏତିକି ଉଦାହରଣ ଯଥେଷ୍ଟ ନୁହେଁ । ହାତୀ ମୃତ୍ୟୁର ମାଳମାଳ ଘଟଣା ଏବେ ସାମ୍ନାକୁ ଆସୁଛି। କେତେବେଳେ ଟ୍ରେନ ଧକ୍କାରେ ହାତୀର ଜୀବନ ଯାଉଛି ତ ଆଉ କେଉଁଠି ମାଟି ତଳୁ କେବଳ କଙ୍କାଳ ବାହାରୁଛି। ଚଳିତ ବର୍ଷ ରାଜ୍ୟର ବିଭିନ୍ନ ଜଙ୍ଗଲରେ ବିଭିନ୍ନ କାରଣରୁ ୨୦ରୁ ଅଧିକ ହାତୀଙ୍କର ମୃତ୍ୟୁ ହେଲାଣି । ଏହି ମୃତ୍ୟୁ ତାଲିକାରେ ବୌଦ୍ଧ ଜିଲ୍ଲାରୁ ୨,କେନ୍ଦୁଝୁର ଜିଲ୍ଲାରୁ ୨ ହାତୀ ଛୁଆ ସମେତ ୩ ଟି ହାତୀ, ଚନ୍ଦକା ଅଭୟାରଣ୍ୟରେ ହାତୀ ନନ୍ଦ, କଳାହାଣ୍ଡି ଜିଲ୍ଲାରେ ୬ ଟି ହାତୀ,ସମ୍ବଲପୁରରେ ଗୋଟିଏ ହାତୀ ,ଢେଙ୍କାନାଳ ବନାଞ୍ଚଳରେ ୨ ଓ ନରସିଂହପୁର ବନାଞ୍ଚଳରେ ୫ ଟି ହାତୀର ମୃତ୍ୟୁ ଘଟିଛି । ଏଥିରୁ ବୌଦ୍ଧ, ନରସିଂହପୁରରେ ଶୀକାରୀଙ୍କ ଗୁଳିରେ ହାତୀଙ୍କ ମୃତ୍ୟୁହୋଇଛି । କେନ୍ଦୁଝରରେ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଛି । ଗୋଟିଏ ବର୍ଷର କିଛି ମାସ ମଧ୍ୟରେ ୨୦ରୁ ଅଧିକ ହାତୀଙ୍କ ମୃତ୍ୟୁ ସତ୍ତ୍ୱେ ଜଙ୍ଗଲ ବିଭାଗର ପଦକ୍ଷେପ ଶୂନ ।
ବିଧାନସଭାରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ତଥ୍ୟ କହୁଛି, ୨୦୧୭ ଗଣନା ଅନୁସାରେ ରାଜ୍ୟରେ ୧୯ଶହ ୭୬ଟି ହାତୀ ଥିଲେ। ୫ ବର୍ଷରେ ସେଥିରୁ ୨୩୩ ହାତୀଙ୍କର ଜୀବନ ଯାଇଛି। ୧୪ ଟି ହାତୀ ଶୀକାରୀ ଗୁଳିରେ ପ୍ରାଣ ହରାଇଥିବା ବେଳେ ବିଦ୍ୟୁତ ଅଘାତରେ ୬୩, ଟ୍ରେନ୍ ଧକ୍କାରେ ୨୦, ସଡକ ଦୁର୍ଘଟଣାରେ ୪ ଓ ପ୍ରାକୃତିକ କାରଣରୁ ଯାଇଛି ୮୫ ହାତୀଙ୍କ ଜୀବନ। ତେବେ ୪୭ ହାତୀଙ୍କ ମୃତ୍ୟୁର କାରଣ ଖୋଜି ପାଉନି ବନବିଭାଗ । ଏତେ ସଂଖ୍ୟାକ ହାତୀ ମୃତ୍ୟୁକୁ ନେଇ ବନବିଭାଗକୁ ଦାୟୀ କରିଛନ୍ତି ବିଶେଷଜ୍ଞ । ବିଭାଗରେ ମାତ୍ରାଧିକ ଦୁର୍ନୀତି କାରଣରୁ ହାତୀ ମୃତ୍ୟୁ ରୋକିବାରେ ବିଫଳ ହୋଇଛନ୍ତି ସରକାର। ହାତୀ ମୃତ୍ୟୁ ପାଇଁ ବିଭାଗକୁ ଉତ୍ତରଦାୟୀ ରଖାଯିବା ଓ ଅଭିଯୁକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦ୍ୱାରା ହିଁ ହାତୀ ମୃତ୍ୟୁ ରୋକାଯାଇପାରିବ ବୋଲି ବିଶେଷଜ୍ଞର ମତ ରହିଛି ।
ରାଜ୍ୟରେ ହାତୀ ମୃତ୍ୟୁ ବଢି ଚାଲିଥିବା ବେଳେ ଆଠଗଡ଼ ବନଖଣ୍ଡ ଚିନ୍ତା ବଢ଼ାଇଛି । ଗତ ୩ ବର୍ଷରେ କେବଳ ଏହି ଅଞ୍ଚଳରେ ଯାଇଛି ୧୬ ହାତୀଙ୍କ ଜୀବନ। ଗତ ୬ ମାସର ଚିତ୍ର ଆହୁରି ଉଦ୍ବେଗଜନକ । ୪ ମାସରେ ଶିକାରୀ ଗୁଳିରେ ୨ଟି ହାତୀର ଜୀବନ ଯାଇଥିବା ବେଳେ ମାଟି ତଳୁ ଉଦ୍ଧାର ହୋଇଛି ୪ଟି ହାତୀ କଙ୍କାଳ। ପିସିସିଏଫ୍ଙ୍କ ମତରେ ହାତୀ-ମଣିଷ ବିବାଦ ହିଁ ରାଜ୍ୟରେ ହାତୀ ମୃତ୍ୟୁର ସବୁଠୁ ବଡ଼ କାରଣ, କିନ୍ତୁ ହାତୀ ମୃତ୍ୟୁରେ ବନ କର୍ମଚାରୀଙ୍କ ସମ୍ପୃକ୍ତି ଅକ୍ଷମଣୀୟ ଅପରାଧ ।ଗତ ୩ ଦଶନ୍ଧିର ତଥ୍ୟ ଦେଖିଲେ, ରାଜ୍ୟରେ ଉତ୍କଟ ରୂପ ନେଇଛି ହାତୀର ମୃତ୍ୟୁ ହାର। ୧୯୯୦ରୁ ୨୦୦୦ ମଧ୍ୟରେ ବାର୍ଷିକ ହାରାହାରି ୩୩ଟି ହାତୀଙ୍କ ମୃତ୍ୟୁ ହେଉଥିବା ବେଳେ ୨୦୦୦ରୁ ୨୦୧୦ ମଧ୍ୟରେ ଏହି ସଂଖ୍ୟା ୪୬ ରହିଥିଲା । ତେବେ ୨୦୧୦ରୁ ୨୦୨୦ ମଧ୍ୟରେ ବାର୍ଷିକ ହାତୀ ମୃତ୍ୟୁ ହାର ୭୮ରେ ପହଞ୍ଚିଛି ।
ହାତୀ ମୃତ୍ୟୁକୁ ଲୁଚାଇବା ଏତେ ସହଜ ନୁହେଁ । ତଥାପି ଓଡିଶାର ବନ ବିଭାଗ ହାତୀ ମୃତ୍ୟୁକୁ କିପରି ଲୁଚାଇ ରଖୁଛି ଏବଂ ମୃତ୍ୟୁର ପ୍ରକୃତ କାରଣ ଉପରେ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛି ତାହା ସବୁଠାରୁ ବଡ଼ ପ୍ରଶ୍ନ । ୨୦୧୨ ରେ ଓଡିଶା ସରକାରଙ୍କ ଦ୍ଵାରା ଏକ ସର୍କୁଲାର ଜାରୀ କରାଯାଇଥିଲା । ଯାହା ହାତୀମାନଙ୍କର ଅପ୍ରାକୃତିକ ମୃତ୍ୟୁ ପାଇଁ ଡିଏଫଓଙ୍କୁ ଉତ୍ତରଦାୟୀ କରିବା ପାଇଁ ଉଦ୍ଦିଷ୍ଟ ଥିଲା,ଯାହାକି ଏପର୍ଯ୍ୟନ୍ତ କାଗଜ କଲମରେ ସିମୀତ ରହିଛି । ବନାଞ୍ଚଳରେ ହାତୀ ମୃତ୍ୟୁ ପରେ ପ୍ରାୟ ଦୀର୍ଘ ଦିନ ପରେ ହାତୀର ସନ୍ଧାନ ମିଳୁଛି । ଆଉ ବନ କର୍ମଚାରୀଙ୍କର କାର୍ଯ୍ୟରେ ଅବହେଳା ପାଇଁ ଶିକାରୀ ମାନେ ହାତୀକୁ ମାରି ଦାନ୍ତ ନେଇ ଯାଉଛନ୍ତି । ଯାହା ଫଳରେ ହାତୀ ମାନଙ୍କର ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । ଯେତେବେଳେ ହାତୀର ପୋଷ୍ଟ ମର୍ଟମ ହେଉଛି ସେହି ସମୟରେ ଅନେକ ବିଭ୍ରାନ୍ତିକର ରିପୋର୍ଟ ଦିଆଯାଉଛି। ଯାହା ଅନେକ ସମୟରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି କହିଛନ୍ତି ବିଶେଷଜ୍ଞ । ଅନ୍ୟପଟେ ହାତୀ ମୃତ୍ୟୁର ତଦନ୍ତ ଠିକ ଭାବରେ କରାଯିବା ସହିତ ହାତୀମାନଙ୍କର ପୋଷ୍ଟ ମର୍ଟମ ରିପୋର୍ଟ କାହାକୁ ଏବଂ କେତେଦିନ ପରେ ଦିଆଯାଉଛି ତାକୁ ସଠିକ ଭାବରେ ସାର୍ବଜନୀନ କରିବାକୁ ଦାବୀ କରିଛନ୍ତି ପଶୁପ୍ରେମୀ ।
ଅନ୍ୟପଟେ ହାତୀ ମୃତ୍ୟୁ ରୋକିବାକୁ ଗଠିତ ହେବ ଜଏଣ୍ଟ ଟାସ୍କ ଫୋର୍ସ । ପୋଲିସ ଓ ବନ ବିଭାଗକୁ ନେଇ ଗଠିନ ହେବ ଏହି JTF। ହାତୀ ମୃତ୍ୟୁ ଏବଂ ବନ୍ୟପ୍ରାଣୀ ଚାଲାଣ ରୋକିବା ପାଇଁ ଏହି ଫୋର୍ସ କାମ କରିବ । ଏନେଇ ହାଇକୋର୍ଟରେ ଦାୟର ହୋଇଥିବା ଏହି ସମ୍ପର୍କିତ ଏକ ମାମଲାରେ ସତ୍ୟପାଠ ମାଧ୍ୟମରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ହାଇକୋର୍ଟଙ୍କୁ ଏ ନେଇ ଅବଗତ କରିଛନ୍ତି । ରାଜ୍ୟରେ ନିକଟରେ ମୃତ୍ୟୁ ବରଣ କରିଥିବା ହାତୀଙ୍କ ସମ୍ପର୍କରେ ମଧ୍ୟ କୋର୍ଟଙ୍କୁ ଅବଗତ କରାଯାଇଥିଲା । ତେବେ ଆସନ୍ତା ଶୁଣାଣି ସମୟରେ ଏହାର ସବିଶେଷ ତଥ୍ୟ ଦେବାକୁ ଆଡଭୋକେଟ ଜେନେରାଲ କୋର୍ଟଙ୍କୁ କହିଥିଲେ। ସେପ୍ଟେମ୍ବର ୨୬ ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ ହେବା ନେଇ ହାଇକୋର୍ଟ କହିଛନ୍ତି । ତେବେ ମାମଲାର ଶୁଣାଣି ସମୟରେ ହାତୀ ଶୀକାର ଘଟଣାରେ ସରକାରଙ୍କ ତରଫରୁ ଗ୍ରହଣ କରାଯାଉଥିବା ପଦକ୍ଷେପକୁ ନେଇ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଗତ ଅଗଷ୍ଟ ୬ରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍ ୱାଇଲ୍ଡ ଲାଇଫ୍)ଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଗତ ୫ ବର୍ଷରେ ଆଠଗଡ, ଢେଙ୍କାନାଳ, ଦେବଗଡ, ସମ୍ବଲପୁର, ବୌଦ୍ଧ, ଘୁମୁସର (ଉତ୍ତର) ଡିଭିଜନରେ ବେଆଇନ ହାତୀ ଶିକାର କରାଯାଇଥିବା ଦର୍ଶାଯାଇଥିଲା । ୨୦୧୮ରୁ ୨୦୨୨ ମଧ୍ୟରେ ୧୪ଟି ମାମଲା ରୁଜୁ କରାଯାଇ ୨୯ ଜଣଙ୍କୁ ଗିରଫ କରାଯାଇଛି ବୋଲି ଉଲ୍ଲେଖ କରାଯାଇଥିଲା। ଏହି ପ୍ରସଙ୍ଗକୁ ନେଇ ରୁଜୁ ମାମଲା ଗୁଡିକର ଅଗ୍ରଗତି ସନ୍ତୋଷଜନକ ନୁହେଁ ବୋଲି ହାଇକୋର୍ଟ ପୂର୍ବରୁ କହିଥିଲେ । ସତ୍ୟପାଠରେ ଉଲ୍ଲେଖ କରାଯାଇଥିବା ଏହି ସବୁ ମାମଲାରେ ଗିରଫ ଅଭିଯୁକ୍ତମାନେ ଏବେ ଜେଲରେ ଅଛନ୍ତି ବା ଜାମିନ ପାଇଛନ୍ତି ସେ ନେଇ ହାଇକୋର୍ଟ ଜାଣିବାକୁ ଚାହିଁଥିଲେ। କିନ୍ତୁ ଅଭିଯୁକ୍ତଙ୍କ ଜାମିନ ପ୍ରସଙ୍ଗରେ ରାଜ୍ୟ ସରକାର ଜବାବ ରଖି ପାରି ନଥିଲେ।
ଅଗଷ୍ଟ ୧୨ ବିଶ୍ୱ ହସ୍ତୀ ଦିବସ ଆସିଲେ, ମଣିଷର ମନେପଡ଼େ ହାତୀଙ୍କ ସୁରକ୍ଷା କଥା । ଚିଡିଆଖାନାରେ ଭଲ ଖାଇବାକୁ ଦିଆଯାଏ । ଫଟୋବି ଉଠାଯାଏ । ବାକି ୩୬୪ ଦିନ ନିଜ କଥା ନିଜେ ବୁଝନ୍ତି ହାତୀ । ନା ହାତୀ ମୃତ୍ୟୁ କୁ ନେଇ ଚିନ୍ତିତ ନା ବ୍ୟଥିତ । ହାତୀ ମୃତ୍ୟୁ ରୋକିବାକୁ ନା ନିଯାଉଛି ଠୋସ ପଦକ୍ଷେପ । ନା ଶିକାରୀଙ୍କ ବିରୋଧରେ ହେଉଛି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ । କେବଳ ହାତୀ ମୃତ୍ୟୁକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ହେଲେ କିଛି ନିର୍ଦ୍ଦେଶନାମା ଜାରି କରି ବନ ବିଭାଗ ନିଜ ଦାୟିତ୍ବ ଶେଷ କରି ଦେଉଛି । ଏପରି ହେଲେ ହାତୀ ମୃତ୍ୟୁର ଅନ୍ତ ହେବତ ? ଶିକାରୀ ଦଣ୍ଡିତ ହେବେତ ? ହାତୀଙ୍କ ପାଇଁ ବଢୁଥିବା କୁତ୍ରିମ ବିପଦ କମିବ ତ ? ଯାହାକି ରାଜ୍ୟରେ ହାତୀଙ୍କ ସୁରକ୍ଷା ଉପରେ ଲଗାଇଛି ବିରାଟ ପ୍ରଶ୍ନ ଚିହ୍ନ। କାହିଁକି ଓଡିଶାରେ ବଢୁଛି ଗଜରାଜଙ୍କ ମୃତ୍ୟୁ ? ଏକାଧିକ ଅଭୟାରଣ୍ୟ ସହ ଜଙ୍ଗଲ ସମ୍ପଦ ଥିଲେ ସୁଦ୍ଧା ଗଜରାଜଙ୍କ ମୃତ୍ୟୁକୁ ନେଇ ବଢିବାରେ ଲାଗିଛି ଉଦବେଗ । ସାରା ରାଜ୍ୟରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ । କେଉଁଠି ହେଉଛି ଅସୁବିଧା ? ଶିକାରୀଙ୍କ ଶିକାର, ଆବଶ୍ୟକ ଜଙ୍ଗଲ ସମ୍ପଦ ଅଭାବ, କୃତ୍ରିମ ବିପର୍ଯ୍ୟୟ ନା ଖାଦ୍ୟ ଅଭାବ ? କିଏ ଦାୟୀ ହାତୀ ମୃତ୍ୟୁ ପାଇଁ ? କାରଣ ଓଡିଶା ଭଳି ଜଙ୍ଗଲ ସମ୍ପଦ ଭରପୂର ଥିବା ରାଜ୍ୟରେ ଗତ ୧୨ ବର୍ଷ ମଧ୍ୟରେ ୯୪୭ ହାତୀଙ୍କର ମୃତ୍ୟୁ ହେଲାଣି । ଯାହା ଖାଲି ଚିନ୍ତା ଜନକ ନୁହେଁ ବରଂ ବେଶ ଗମ୍ଭୀର । ଯଦି ଏହି ଧାରା ଜାରୀ ରୁହେ…ତେବେ ଆଗାମୀ କିଛି ବର୍ଷ ମଧ୍ୟରେ ହାତୀ ଶୁନ୍ୟ ହୋଇଯିବ ଓଡିଶା । ହାତୀ ଦିନେନା ଦିନେ ଇତିହାସ ହୋଇଯିବ ଡାଇନୋସର ଭଳି ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।