ଅନୁଗୁଳରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ସ୍ୱାମୀ ସ୍ତ୍ରୀ ସାଙ୍ଗ ହୋଇ ଆସିଥିଲେ କୋର୍ଟକୁ। ହେଲେ ସ୍ତ୍ରୀ ଫେରିଲେ ଏକା। ସ୍ବାମୀ ଗଲେ୨୦ ବର୍ଷ ଜେଲ୍ । ସ୍ୱାମୀଙ୍କୁ ଜେଲ ଦଣ୍ଡାଦେଶ ଶୁଣିବା ପରେ ସ୍ତ୍ରୀ କାନ୍ଦି କାନ୍ଦି ଗଡି ଯାଉଥିଲେ। ଘଟଣାକୁ ନେଇ ନିଜ ଭାଗ୍ୟକୁ ନିନ୍ଦିଲେ ସ୍ତ୍ରୀ। ଏହି ଘଟଣା ପଛରେ ଥିବା କାହାଣୀ ଯେତିକି ରୋଚକ ସେତିକି ଦୁଃଖ ଦାୟକ।
ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଘଟଣା। ବାପା ମା ଛେଉଣ୍ଡ ଜଣେ ଯୁବତୀ ସେତେବେଳେ ନାବାଳିକା ଥିଲେ। ସେ ଘରେ ଏକୁଟିଆ ଥିବା ସୁଯୋଗ ନେଇ ସେହି ଗାଁର ଗୋବର୍ଦ୍ଧନ ନାଏକ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ତେବେ ନାବାଳିକା ଜଣକ ଏକଥା ସମସ୍ତଙ୍କୁ କହିଦେବେ ବୋଲି ଧମକ ଦେବାରୁ ଗୋବର୍ଦ୍ଧନ ତାଙ୍କୁ ନେହୁରା ହୋଇ କିଛିଦିନ ପରେ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ। କିନ୍ତୁ ପରେ ଆଉ ବିବାହ କରିବାକୁ ମନା କରିଦେବା ପରେ ନାବାଲିକାଙ୍କ ମାମୁ ଗତ ୨୦୨୧ ଜାନୁଆରୀ ରେ ବଅଁରପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଗୋବର୍ଦ୍ଧନଙ୍କ ବିରୁଦ୍ଧରେ ଅନ୍ୟାନ୍ୟ ଦଫା ସହ ପୋସ୍କୋ ଆଇନ ଧାରା (୬) ଲଗାଇ କୋର୍ଟ ଚାଲାଣ କରିଥିଲା। ସେହି ବର୍ଷ ଅଗଷ୍ଟ ମାସରେ ଗୋବର୍ଦ୍ଧନଙ୍କୁ ଜାମିନ ମିଳି ଯାଇଥିଲା। ଏହା ଭିତରେ ତାଙ୍କ ମନ ମଧ୍ୟ ପରିବର୍ତ୍ତନ ହୋଇ ଯାଇଥିଲା। ସେ ନିଜର ଭୁଲ ପାଇଁ ଅନୁତପ୍ତ କରି ପିଡିତା ନାବାଳିକାଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଇତି ମଧ୍ୟରେ ନାବାଳିକା ଜଣକ ସାବଳିକା ହୋଇ ଯାଇଥିବାରୁ ଉଭୟଙ୍କ ନିଷ୍ପତି ଅନୁସାରେ ପ୍ରଥମେ ମନ୍ଦିରରେ ବିବାହ କରି ପରେ ରେଜେଷ୍ଟ୍ରି ବିବାହ କରିଥିଲେ। ସେହି ଦିନରୁ ଉଭୟେ ବେସ ହସ ଖୁସିରେ ସ୍ୱାମୀ ସ୍ତ୍ରୀ ଭାବେ ରହି ଆସୁଥିଲେ। ହେଲେ ସେମାନଙ୍କର ଏହି ଖୁସି ବେଶି ଦିନ ତିଷ୍ଠି ପାରି ନଥିଲା। ଯେହେତୁ ଗୋବର୍ଦ୍ଧନଙ୍କ ବିରୁଦ୍ଧରେ ପୋସ୍କୋ ଆଇନ ବଳରେ ମକଦମା ଚାଲିଥିଲା ତେଣୁ ଅନୁଗୁଳର ଫାଷ୍ଟଟ୍ରାକ କୋର୍ଟ ଗତ ୩୧ତାରିଖ ଏହାର ଶୁଣାଣି କରିଥିଲେ। ୨୩ଜଣ ସାକ୍ଷୀ ଓ ପାରିପାର୍ଶ୍ବିକ ସ୍ଥିତି ଆଧାରରେ ଗୋବର୍ଦ୍ଧନଙ୍କୁ ୨୦ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଏହାପରେ ତାଙ୍କୁ ଜେଲକୁ ପଠାଇ ଦିଆ ଯାଇଥିଲା।
ଅଦାଲତଙ୍କ ଏହି ରାୟ ପରେ ବଦଳିଯାଇଛି ଯୁବତୀଙ୍କ ଜୀବନ। ଆଗରୁ ବାପା ଓ ମା’ଙ୍କୁ ହରାଇ ଏକୁଟିଆ ଜୀବନ ବିତାଉଥିଲେ। ସବୁ ଦୁଃଖକୁ ଭୁଲି ଯାହାକୁ ହାତଧରିଲେ ସେ ଆଜି ଜେଲ୍କୁ ଯାଇଛନ୍ତି। ୨୦ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବାରୁ କେବେ ଫେରିବେ ଜଣାନାହିଁ। ତେଣୁ ପୁଣି ଏକା ହୋଇଯାଇଛନ୍ତି ଯୁବତୀ। ଅଦାଲତଙ୍କ ଆଦେଶ ଶୁଣି କଇଁ କଇଁ ହୋଇ କାନ୍ଦି ପକାଇଥିଲେ। ତାଙ୍କୁ ଛାଡ଼ି ନ ଯିବା ପାଇଁ ସ୍ବାମୀଙ୍କ ନିକଟରେ ନେହୁରା ହୋଇଥିଲା। କିନ୍ତୁ ଆଇନ କାନୁନ୍ ଆଗରେ ଏହି ଭାବପ୍ରବଣତାର ମୂଲ୍ୟ କିଛି ନ ଥିଲା। ସକାଳେ ସାଙ୍ଗ ହୋଇ ଦୁହେଁ ଘରୁ ଆସିଥିଲେ ମଧ୍ୟ ଏକଲା ଘରକୁ ଫେରିଥିଲେ ଯୁବତୀ। ଆଉ ଫେରିଲାବେଳକୁ ନିଜ ଉପରେ ଦୋଷ ଲଦୁଥିଲେ। ସତରେ କଣ ସବୁ ଘଟିଗଲା। ଏତେ ବଡ଼ ଦୁନିଆରେ ସେ ଏକୁଟିଆ କେମିତି କାହା ସାହାରାରେ ବଞ୍ଚି ରହିବେ। ଏମିତି ଭାବି ଭାବି ତାଙ୍କ ଆଖିରୁ ଲୁହ ଶୁଖୁନି। ୨୦ବର୍ଷ କିଛି କମ କଥା ନୁହେଁ। ସେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରି ବଞ୍ଚିବା କେତେ କଷ୍ଟ ତାହା ସେ ଭାବି ପାରୁ ନାହାନ୍ତି।
ତେବେ ପୋସ୍କୋ ଆଇନ ବଳରେ ବିଚାର କରା ଯାଇଥିବାରୁ ଏଭଳି ସଜା ମିଳିଛି। କିନ୍ତୁ ଏବେ ପରିସ୍ଥିତି ବଦଳି ଯାଇଥିବାରୁ ହାଇକୋର୍ଟରୁ ଦଣ୍ଡଦେଶରେ ରିହାତି ମିଳିବା ଆଶାରେ ପୀଡ଼ିତା ଅପିଲ କରିବାକୁ ଯାଉଥିବା ସୁଚନା ମିଳିଛି।