ମୟୂରଭଞ୍ଜ ଜିଲ୍ଲାରେ ନିରୀହ ଆଦିବାସୀମାନଙ୍କୁ ଧର୍ମାନ୍ତରୀକରଣ ପାଇଁ ନେଇ ଯାଉଥିବା ଏକ ଯାତ୍ରୀବାହୀ ବସକୁ ଅଟକ ରଖାଯାଇଛି | ସୂଚନା ଅନୁଯାୟୀ ଆଜି ସକାଳୁ ବଡଖମଣ, ବହୁବନ୍ଧ, ଭୀମତାଳି ଏବଂ ବଡସିଙ୍ଗାରିଆ ପଞ୍ଚାୟତର ୬୦ରୁ ଉର୍ଦ୍ଧ୍ୱ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରିବା ପାଇଁ ପଠାଯାଉଥିବା ବେଳେ ସ୍ଥାନୀୟ ଲୋକ ସନ୍ଦେହ କରିଥିଲେ | ସୂଚନା ପାଇ ଉଦଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହିତ ବସଟିକୁ ଅଟକ ରଖି ଥାନାକୁ ଅଣାଯାଇଛି | ପଚରାଉଚରା ସମୟରେ ଉକ୍ତ ଯାତ୍ରୀମାନେ ବାରିପଦା ସ୍ଥିତ ଏକ ଚର୍ଚକୁ ଯାଉଥିବାର ଜଣାପଡିଛି | ସ୍ଥାନୀୟ ଅଞ୍ଚଳର ଜନୈକ ଯୁବକ ସମସ୍ତଙ୍କୁ ଏକଜୁଟ କରି ନେଇଯାଉଥିବାର ଜଣାପଡିଛି | ଅପରପକ୍ଷରେ ସ୍ୱାସ୍ଥ୍ୟଗତ ସମସ୍ୟାର ସମାଧାନ ସହିତ ବିଭିନ୍ନ ଦିଗରେ ଲାଭ ପାଉଥିବାରୁ ଉକ୍ତ ଆଦିବାସୀ ଲୋକମାନେ ଖ୍ରୀଷ୍ଟ ଧର୍ମକୁ ପରିବର୍ତ୍ତନ ହେଉଥିବାର କହିଛନ୍ତି | ତେବେ ଏଭଳି ଧର୍ମାନ୍ତରୀକରଣକୁ ବିରୋଧ କରିବା ସହିତ ଉଦଳା ବିଶ୍ୱହିନ୍ଦୁ ପରିଷଦର ସଦସ୍ୟମାନେ ଥାନାରେ ପହଞ୍ଚି ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି |