ସମ୍ବଲପୁର-କଟକ ୫୫ ନମ୍ବର ଜାତୀୟ ରାଜପଥର ସମସ୍ୟା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସରକାରଙ୍କ ପାଖରେ ବାରମ୍ବାର ଦାବି କରାଯିବା ପରେ ମଧ୍ୟ ଜାତୀୟ ରାଜପଥ ସମସ୍ୟାର ସମାଧାନ ଏ ପର୍ଯ୍ୟନ୍ତ ହୋଇପାରିଲା ନାହିଁ। ଫଳରେ ଲୋକ ପ୍ରତ୍ୟକ ଦିନ ଦୁର୍ଘଟଣାର ଶିକାର ହୋଇ ଅକାଳରେ ଜୀବନ ଯାଉଛି । ସେହିପରି ଅନୁଗୁଳ ଓଡ଼ିଶାର ମଧ୍ୟଭାଗରେ ରହିଥିବା ବେଳେ ଏହାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ କଟକ, ଢେଙ୍କାନାଳ, କେନ୍ଦୁଝର, ଦେଗଗଡ଼, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାଗୁଡ଼ିକର ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକେ ନିର୍ଭର କରୁଛନ୍ତି । କିନ୍ତୁ ଏଠାରେ ଏକ ମେଡିକାଲ କଲେଜ ନିର୍ମାଣ କରା ଯାଇପାରୁନାହିଁ । ଅନୁଗୁଳ ଜିଲ୍ଲାର ବହୁ ଲୋକ ପ୍ରତିନିଧି ରହିଥିବା ବେଳେ ସେମାନେ ଉପରୋକ୍ତ ସମସ୍ୟା ପ୍ରସଙ୍ଗରେ ଠିକ୍ ଭାବେ ଦାବି ଜଣାଇ ପାରୁନାହାନ୍ତି। ଜାତୀୟ ରାଜପଥ ସମସ୍ୟାର ସମାଧାନ, ବାଇପାସ୍ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଓ ଅନୁଗୁଳ ମେଡିକାଲ କଲେଜ ପ୍ରତିଷ୍ଠା ଘୋଷଣା ଦାବିରେ ଆଜି ବୁଧବାର ଠାରୁ ଅନୁଗୁଳ କୋର୍ଟ ନିକଟସ୍ଥ କୃଷିଭବନ ସମ୍ମୁଖରେ ସକାଳ ୧୦ ଘଟିକା ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହୋଇଛି।ଅନୁଗୋଳ ସଚେତନ ନାଗରିକଙ୍କ ପକ୍ଷରୁ ଏହି ଗଣଧାରଣା ଦିଆଯାଉଥିଲାବେଳେ ଏଥିରେ ଜିଲ୍ଲାବାସୀ ସାମିଲ ହେବାକୁ ଅନୁରୋଧ କରାଯାଇଛି।