କେନ୍ଦ୍ର ଜାରି କଲା ନୂଆ ନିୟମ : ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା
କୋଚିଂ ସେଣ୍ଟରରେ ଭର୍ତ୍ତି ହେବା ପାଇଁ ଜାରି ହେଲା ନୂଆ ନିର୍ଦ୍ଦେଶାବଳି
କେନ୍ଦ୍ର ଜାରି କଲା ନୂଆ ନିୟମ : ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ କୋଚିଂ ସେଣ୍ଟର ମନା।କୋଚିଂ ସେଣ୍ଟରରେ ଭର୍ତ୍ତି ହେବା ପାଇଁ ଜାରି ହୋଇଥିବା ନୂଆ ନିର୍ଦ୍ଦେଶାବଳି ଅନୁସାରେ:
୧. କୌଣସି କୋଚିଂ ସେଣ୍ଟରରେ ସ୍ନାତକ ବା ଗ୍ରାଜୁଏସନ୍ରୁ କମ୍ ଶିକ୍ଷାଗତ ଯୋଗ୍ୟତା ଥିବା କୌଣସି ବ୍ୟକ୍ତି ଶିକ୍ଷକ ହୋଇପାରିବେ ନାହିଁ।
୨. କୋଚିଂ ସେଣ୍ଟରରେ ପଞ୍ଜିକରଣ ପାଇଁ ଅଭିଭାବକ ଓ ବିଦ୍ୟାର୍ଥୀମାନଙ୍କୁ ଭଲ ରାଙ୍କ୍ ବା ଭଲ ମାର୍କର ବିଭ୍ରାନ୍ତିକର ପ୍ରତିଶ୍ରୁତି ଦିଆଯାଇପାରିବ ନାହିଁ।
୩. ୧୬ ବର୍ଷରୁ କମ୍ ବୟସର ପିଲାଙ୍କୁ ପଞ୍ଜିକରଣ କରାଯିବ ନାହିଁ। କେବଳ ମାଧ୍ୟମିକ ସ୍କୁଲ ଶିକ୍ଷା ଶେଷ କରିଥିବା ପିଲା ଭର୍ତ୍ତି ହୋଇପାରିବ।
୪. କୌଣସି କୋଚିଂ ସେଣ୍ଟର କୋଚିଂର ମାନ, ଦିଆଯାଉଥିବା ସୁବିଧା, ଫଳାଫଳ ନେଇ କୌଣସି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିପାରିବେ ନାହିଁ।
୫. ପ୍ରତି ବିଦ୍ୟାର୍ଥୀଙ୍କ ପିଛା ଯଦି କମ୍ ସ୍ଥାନ ଥିବ ତେବେ କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜୀକୃତ ହୋଇପାରିବେ ନାହିଁ।
କେନ୍ଦ୍ର ସରକାର ଜାରି କରିଥିବା ଏହି ନିର୍ଦ୍ଦେଶାବଳିର ଉଦ୍ଦେଶ୍ୟ ହେଲା:
୧. କୋଚିଂ ସେଣ୍ଟରଗୁଡ଼ିକର ପଞ୍ଜିକରଣ ଓ ନିୟନ୍ତ୍ରଣ ପାଇଁ ଏକ ନିର୍ଦ୍ଦିଷ୍ଟ ଢାଞ୍ଚା ସୃଷ୍ଟି କରିବା।
୨. କୋଚିଂ ସେଣ୍ଟରଗୁଡ଼ିକର ପରିଚାଳନା ପାଇଁ ଆବଶ୍ୟକ ସର୍ବନିମ୍ନ ମାନ ସ୍ଥିର କରିବା।
୩. କୋଚିଂ ସେଣ୍ଟରରେ ପଞ୍ଜିକୃତ ବିଦ୍ୟାର୍ଥୀମାନଙ୍କର ସ୍ୱାର୍ଥର ସୁରକ୍ଷା କରିବା।
୪. ବିଦ୍ୟାର୍ଥୀମାନଙ୍କର ସାମଗ୍ରିକ ବିକାଶ ପାଇଁ କୋଚିଂ ସେଣ୍ଟରଗୁଡ଼ିକ କ୍ରୀଡ଼ା ଓ ମନୋରଞ୍ଜନ ଭଳି ଅନ୍ୟାନ୍ୟ ସୁବିଧା ଦେବା।
୫. ବିଦ୍ୟାର୍ଥୀମାନଙ୍କର ମାନସିକ ସୁସ୍ଥତା ପାଇଁ କ୍ୟାରିଅର୍ ମାର୍ଗଦର୍ଶନ ସହିତ ମନସ୍ତାତ୍ତ୍ୱିକ ପରାମର୍ଶ ଦେବା।
ନିର୍ଦ୍ଦେଶାବଳି ଅନୁସାରେ ଏଣିକି କୋଚିଂ ସେଣ୍ଟରଗୁଡ଼ିକ ପଞ୍ଜିକରଣ ଓ ପଞ୍ଜିକରଣ ନବୀକରଣ ପାଇଁ ଆବେଦନ କରିବେ, ନିର୍ଦ୍ଦିଷ୍ଟ ସର୍ତ୍ତ ପୂରଣ କରିବେ, ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଥିବା ଟ୍ୟୁଟର ନିଯୁକ୍ତ କରିବେ, ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିବେ ନାହିଁ, ବିଭ୍ରାନ୍ତିକର ପ୍ରତିଶ୍ରୁତି ଦେବେ ନାହିଁ, ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ନାମ ଲେଖାଇବେ ନାହିଁ ଏବଂ ଉପଯୁକ୍ତ ପରାମର୍ଶ ସେବା ବ୍ୟବସ୍ଥା କରିବେ।