ପ୍ରବଳ ଖରାରେ ସୁଖିଯାଇଛି ନେତାଙ୍କ ବୁଦ୍ଧି।ଭୋଟ ପାଇଁ ସାଧାରଣ ଲୋକଙ୍କ ଜୀବନକୁ ଭାବୁଛନ୍ତି ମୂଲ୍ୟହୀନ।
ରାଜ୍ୟରେ ତାତି ଏବେ ପ୍ରତ୍ୟେକ ଦିନ ସମସ୍ତ ରେକର୍ଡ ଭାଙ୍ଗି ଚାଲିଛି। ଅବସ୍ଥା ଏଭଳି ହେଇ ଗଲାଣି ଯେ ଲୋକେ ତ୍ରାହି ତ୍ରାହି ତ୍ରାହି ଡାକୁଛନ୍ତି। ଯେଉଁ ମାନଙ୍କ ପାଖରେ ଏସି ବା କୁଲର ଅଛି ସେମାନେ ଦିନ କଣ ରାତିରେ ମଧ୍ୟ ଏସି କୁଲର ସାମନାରୁ ବାହାରିବାକୁ ପ୍ରସ୍ତୁତ ନୁହଁନ୍ତି। ଆଉ ଅନ୍ୟ ମାନଙ୍କର ଜୀବନ ପ୍ରବଳ ଖରାରେ ବାଜିରେ ଲାଗିଛି। ଏହା ମଧ୍ୟରେ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ଘଟିବା ମଧ୍ୟ ଆରମ୍ଭ ହୋଇ ଯାଇଛି। ଏହା ଗରମରୁ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସରକାରଙ୍କ ତମାମ ଚେଷ୍ଟାର ପୋଲ ଖୋଲି ଦେଇଛି। ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟର ଅନେକ ଜିଲ୍ଲା ପାଇଁ ରେଡ ଆଲର୍ଟ ଖରାକୁ ନେଇ ଜାରି କରାଯାଇଛି। ରାଜ୍ୟ ସରକାର ମଧ୍ୟ ଦିନ ୧୧ ଟାରୁ ଦିନ ୩ ଟା ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ କାମ ନ କରିବା ପାଇଁ ଆଦେଶ ଦେଇଛନ୍ତି ତା ସହିତ ସାଧାରଣ ଲୋକଙ୍କୁ ଅକାରଣରେ ଖରା ସମୟରେ ବାହାରକୁ ବାହାରିବାକୁ ମନା କରାଯାଇଛି। ଏସବୁ ସାଧାରଣ ଲୋକଙ୍କୁ ଅଂଶୁଘାତରୁ ରକ୍ଷା ପାଇବା ପାଇଁ କୁହାଯାଇଛି। କିନ୍ତୁ ବଡ ଆଶ୍ଚର୍ଯ୍ୟର ଓ ଅମାନବୀୟ ଘଟଣା ହେଲା ଯେ ପ୍ରମୁଖ ରାଜନୈତିକ ଦଳର ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ଜୀବନ ନେବା ଭଳି ପ୍ରଚଣ୍ଡ ଖରାରେ ତାଙ୍କର ରାଲୀ କରିବା ସହ ସଭା ସମିତି ମଧ୍ୟ ଆୟୋଜନ କରୁଛନ୍ତି। ଆଉ ତାଙ୍କ ରାଲୀ ଓ ସଭାସମିତି ପାଇଁ ଲୋକଙ୍କୁ ଯେନତେନ ପ୍ରକାରରେ ଅଧିକ ରୁ ଅଧିକ ସଂଖ୍ୟାରେ ଅଣାଯାଉଛି। ଏ ସବୁ କରାଯାଉଛି ପ୍ରାୟ ଦିନ ୧୧ ଟା ରୁ ଦିନ ତିନିଟା ମଧ୍ୟରେ। ଏ ହେଉଛି ସେହି ସମୟ ଯେଉଁ ସମୟରେ କାର୍ଯ୍ୟ ନ କରିବା ପାଇଁ ଚେଷ୍ଠା କରିବା ଉଚିତ ,କିନ୍ତୁ ନେତାଙ୍କର ଯାଏ ଆସେ କେତେ। ସେମାନେ ତ କ୍ଷମତା ମିଳିବାର ଆଶାରେ ଯେମିତି ବାୟା ହେଇ ଯାଇଛନ୍ତି। ଯଦି ଏହି ନିର୍ବାଚନ ମଇଦାନକୁ ଓହ୍ଲାଇ ଥିବା ନେତାଙ୍କର ସାଧାରଣ ଲୋକଙ୍କ ପ୍ରତି ଟିକିଏ ବି ସେବା ଭାବନା ଥିବ ତେବେ ସେମାନେ ଲୋକଙ୍କ ବହୁମୂଲ୍ୟ ଜୀବନକୁ ଆଖି ଆଗରେ ରଖି ସେମାନଙ୍କର ରାଲୀ ଓ ସଭାସମିତିର ସମୟରେ ପରିବର୍ତ୍ତନ କରିବେ।